ଭ୍ୟାକସିନ ଆସିବା ପର୍ଯ୍ୟନ୍ତ ସାବଧାନ ରୁହ: ନବୀନ

ଭୁବନେଶ୍ୱର: 20 ଅକ୍ଟୋବର 2020 : ଗତ ୭ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି। ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଛି। ଏଥି ପାଇଁ ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି। ବୟସ୍କ,ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଭଲ ଲଢ଼ିବା। ଆପଣମାନଙ୍କ ତ୍ୟାଗ ବୃଥା ଯାଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ କରି କହିଛନ୍ତି ଓଡ଼ିଶା ୬ ମାସରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି। ଏଥିରେ ଓଡ଼ିଶାର ସବୁ ନାଗରିକଙ୍କର ଅବଦାନ ରହିଛି। କିଛି ଲୋକ ଟିକେ ଅମାନିଆ ଅଛନ୍ତି, ପରିସ୍ଥିତି ଠିକ ବୁଝିବା ଦରକାର। ଗତ ୧୫ ଦିନ ହେଲା ରାଜ୍ୟରେ କୋଭିଡ଼ କେସ୍ କମିବା ଆରମ୍ଭ କରିଛି। ସେପ୍ଟେମ୍ବର ୨୬ରେ ୪ ହଜାରରୁ ଅଧିକ ଥିଲା, ଏବେ ୨ ହଜାର ତଳେ ରହିଛି। ପଜିଟିଭ ରେଟ୍ ବି କମିଛି, ଆଗକୁ ଆହୁରି କମିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ୨ମାସ ତଳେ ଗଂଜାମ ହଟସ୍ପଟ ଥିଲା, ଦୈନିକ ଶହ ଶହ ବାହାରୁଥିଲେ। ଲୋକଙ୍କ ସହଯୋଗ, କୋଭିଡ଼ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଂଜାମ,ଗଜପତିରେ ସଂକ୍ରମଣ କମିଛି, ଅନ୍ୟ ପାଇଁ ପ୍ରେରଣା ପାଲଟିଛି। କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ। କରୋନାର କ୍ୟାରେକ୍ଟର ପ୍ରୋଫାଇଲ ବହୁତ କ୍ରିଟିକାଲ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେଥିପାଇଁ ମେଡିସିନ ଓ ଭ୍ୟାକସିନ ଆସିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ। ବ୍ରିଟେନ, ଫ୍ରାନ୍ସରେ ସଂକ୍ରମଣ ପୁଣି ଅଧିକ ଭୟଙ୍କର ଭାବେ ବଢିଛି। ଏବେ ସେମାନେ ପୁଣି ଲକ୍ଡାଉନ, ସଟଡାଉନକୁ ଫେରିଲେଣି। ଆମେରିକା ପରେ ଭାରତ ଏବେ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ଅଛି। ଓନାମ ପର୍ବ ପାଇଁ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି। ଏକ୍ସପର୍ଟଙ୍କ ମତ, ଶୀତ ଋତୁରେ କରୋନା ଅଧିକ ଭୟଙ୍କର ରୂପ ନେବ ବୋଲି ନବୀନ କହିଛନ୍ତି।
ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି; ଘରେ ରହି ପୂଜା କରନ୍ତୁ। ପୂଜା ସମୟରେ ସର୍ବସାଧାରଣ ଜାଗାରେ ଭିଡ଼ କରନ୍ତୁ ନାହିଁ। ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱ ରଖନ୍ତୁ, ହାତ ଧୁଅନ୍ତୁ। ଆମେ ସାବଧାନ ରହିଲେ ଆଉ ସଂକ୍ରମଣ ବଢ଼ି ପାରିବ ନାହିଁ ବୋଲି ସେ କହିଛନ୍ତି।