ନବାଜ ସରିଫ : କାର୍ଗିଲ ଯୁଦ୍ଧ ପାଇଁ ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ଲଜ୍ଜିତ ହେଇଥିଲା

ନୂଆଦିଲ୍ଲୀ: 26 ଅକ୍ଟୋବର 2020 : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ କାରଗିଲ୍ ଯୁଦ୍ଧକୁ ନେଇ ବଡ ଖୁଲାସା କରିଛନ୍ତି। ‘ପିଏମଏଲ -ଏନ’ ର ମୁଖ୍ୟ ନବାଜ କହିଛନ୍ତି, ୧୯୯୯ କାର୍ଗିଲ ଯୁଦ୍ଧ ପାକିସ୍ତାନ ସେନା ପକ୍ଷରୁ ଆରମ୍ଭ ହୋଇ ନ ଥିଲା ବରଂ ସେନାର କିଛି ଜେନେରାଲ ଏହି ଯୁଦ୍ଧକୁ ଆରମ୍ଭ କରିଥିଲେ। ଏହାଦ୍ୱାରା ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ଲଜ୍ଜିତ ହେଇଥିଲା।
ନବାଜ ସରିଫ ଲଣ୍ଡନରୁ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ଏହି ଯୁଦ୍ଧରେ ପାକିସ୍ତାନୀ ସେନାଙ୍କୁ ବିନା ରାସନ, ବିନା ଅସ୍ତ୍ରରେ ଲଢିବାକୁ ଛାଡ଼ି ଦିଆଯାଇଥିଲା। ତାଙ୍କୁ ଏ ବିଷୟରେ ଯେତେବେଳେ ଜାଣିବାକୁ ମିଳିଲା, ସେତେବେଳେ ସେ ବହୁତ ବ୍ୟସ୍ତ ହୋଇଥିଲେ।
ନବାଜ ଲଣ୍ଡନରେ ଏକ ଭିଡିଓ ଲିଙ୍କ ଜରିଆରେ କ୍ୱେଟାରେ ଚାଲିଥିବା ପିଡିଏମ(ପାକିସ୍ତାନ ଡେମୋକ୍ରାଟିକ ମୁଭ୍ମେଣ୍ଟ) ରାଲିକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ କହିଥିଲେ, କାର୍ଗିଲ ଯୁଦ୍ଧର ପ୍ରାରମ୍ଭରେ ଆମର ଅନେକ ସୈନ୍ୟ ନିହତ ହୋଇଥିଲେ। ଅନ୍ୟପକ୍ଷେ ଏହି ଯୁଦ୍ଧ ପାଇଁ ବିଶ୍ୱବାସୀଙ୍କ ସମ୍ମୁଖରେ ପାକିସ୍ତାନ ଲଜ୍ଜିତ ହେଲା। ଯେଉଁମାନେ ଏହି ଯୁଦ୍ଧକୁ ଆରମ୍ଭ କରିଥିଲେ, ସେମାନେ ଆମର ସେନାକୁ ଏମିତି ଏକ ସ୍ଥାନରେ ଯୁଦ୍ଧ ପାଇଁ ଛାଡି ଦେଇଥିଲେ ଯେଉଁଠି ପାଇବା ପାଇଁ କିଛି ବି ନ ଥିଲା।
ସେନାବାହିନୀକୁ ବିନା ଖାଦ୍ୟ, ବିନା ଅସ୍ତ୍ରରେ ଘାଟିକୁ ଯୁଦ୍ଧ କରିବା ପାଇଁ ପଠାଇ ଦିଆଗଲା। ସେମାନେ ସେଠାରେ ନିହତ ହେଲେ। ହେଲେ ଦେଶ କ’ଣ ପାଇଲା ? ନବାଜ ଆହୁରି କହିଥିଲେ, କାର୍ଗିଲ ଯୁଦ୍ଧ ପଛରେ ସେଇ ଜେନେରାଲଙ୍କର ଭୂମିକା ଥିଲା ଯିଏ ୧୯୯୯ ଅକ୍ଟୋବର୧୨ରେ ଦେଶରେ ଶାସନଗାଦି ବଦଳାଇ ଦେଇଥିଲେ ଏବଂ ମାର୍ଶଲ ଲ’ ଲାଗୁ କରି ନିଜର ଭୁଲ୍କୁ ଲୁଚାଇବାରେ ସଫଳ ହୋଇଥିଲେ ଏବଂ ଦଣ୍ଡରୁ ମଧ୍ୟ ବର୍ତ୍ତି ଯାଇଥିଲେ।
ନବାଜ ପର୍ଭେଜ ମୁଶରଫଙ୍କ ଆଡକୁ ଅଙ୍ଗୁଳି ନିଦ୍ଦେଶ କରି କହିଛନ୍ତି, ମୁଶରଫ ଏବଂ ତାଙ୍କ ଲୋକ ନିଜ ସ୍ୱାର୍ଥ ପାଇଁ ଆର୍ମିକୁ ବ୍ୟବହାର କରୁଥିଲେ ଏବଂ ଆର୍ମିର ପ୍ରତିଷ୍ଠା ନଷ୍ଟ କରିଥିଲେ।
ସୂଚନାଥାଉ କି, ପାକିସ୍ତାନରେ ଇମ୍ରାନ ସରକାର ବିରୋଧରେ ବିରୋଧୀ ଦଳ ଏକଜୁଟି ହୋଇ ରାଲି କରୁଛନ୍ତି। ଏଥିପାଇଁ ପାକିସ୍ତାନ ଡେମୋକ୍ରାଟିକ ମୁଭ୍ମେଣ୍ଟ ନାମରେ ଏକ ସଂଯୁକ୍ତମେଣ୍ଟ କରିଛନ୍ତି। ନବାଜ ଏହି ରାଲିରେ ତାଙ୍କୁ ଜ୍ୱାଇଁଙ୍କ ଗିରଫଦାରୀ ପ୍ରସଙ୍ଗକୁ ନେଇ ମଧ୍ୟ ବର୍ଷିଥିଲେ।