Today is November 20, 2026

HEADLINES

LATEST NEWS

ଗୌତମ ବୁଦ୍ଧଙ୍କ ଜ୍ଞାନପ୍ରାପ୍ତି କରିଥିବା ଦିନକୁ ସ୍ମରଣୀୟ କରିବା ପାଇଁ ଆଲୋକର ପର୍ବ ବା ଦୀପଦାନ ଉତ୍ସବ ପାଳନ କରାଯାଉଥିଲା।

ବଲାଙ୍ଗିର : ୦୮ ନଭେମ୍ବର ୨୦୨୬ : ଗୌତମ ବୁଦ୍ଧଙ୍କ ଜ୍ଞାନପ୍ରାପ୍ତି କରିଥିବା ଦିନକୁ ସ୍ମରଣୀୟ କରିବା ପାଇଁ ଆଲୋକର ପର୍ବ ବା ଦୀପଦାନ ଉତ୍ସବ ନାମରେ ସର୍ବପ୍ରଥମେ ତାଙ୍କର ନିଜଦେଶ ଶାକ୍ୟ ସାମ୍ରାଜ୍ୟରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିଲା।

ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କଲାପରେ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟରେ ‘ଦୀପାବଳି’ ଦେଶର ସବୁଠାରୁ ପ୍ରମୁଖ ଉତ୍ସବ ଭାବରେ ପାଳିତ କରାଯାଇଥିଲା। ମୌର୍ଯ୍ୟ ସାମ୍ରାଜ୍ୟର ପତନ ହେଲାପରେ ବ୍ରାହ୍ମଣବାଦ ଯୁଗର ପ୍ରତ୍ୟାବର୍ତ୍ତନ ହୋଇ ବୌଦ୍ଧଧର୍ମର ବିନାଶ ଘଟିଥିଲା।

ପୁଣିଥରେ ଜାତିପ୍ରଥା ଓ ବ୍ରାହ୍ମଣବାଦକୁ ପ୍ରଚଳିତ କରିବା ପାଇଁ ଲକ୍ଷ ଲକ୍ଷ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କୁ ନରସଂହାର କରାଯାଇ ଦେଶର ପୁରାତନ ଇତିହାସ ଓ ସଂସ୍କୃତିକୁ ବିକୃତ କରିଦିଆଯାଇଥିଲା।

ସେସମୟରେ ବିଭିନ୍ନ ପ୍ରକାରର କାଳ୍ପନିକ ପୌରାଣିକ କାହାଣୀ ରଚନା କରାଯାଇ ବୁଦ୍ଧଙ୍କର ଦୀପଦାନ ଉତ୍ସବକୁ ବ୍ରାହ୍ମଣବାଦୀଙ୍କ ଦୀପାବଳି ଉତ୍ସବ ଭାବରେ ରୂପାନ୍ତରିତ କରି ଦିଆଯାଇଥିଲା। ତତ୍ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ସବିଶେଷ ତଥ୍ୟ ଆପଣମାନଙ୍କ ଗୋଚରାର୍ଥେ ନିମ୍ନରେ ଉପସ୍ଥାପିତ କରାଯାଇଛି:

(୧) ଗୌତମ ବୁଦ୍ଧଙ୍କ ଜ୍ଞାନପ୍ରାପ୍ତି ଓ ଦୀପଦାନ ମହୋତ୍ସବ:

ଗୌତମ ବୁଦ୍ଧ ବୋଧଗୟା ଠାରେ ଜ୍ଞାନପ୍ରାପ୍ତ କଲାପରେ ଯେଉଁଦିନ କପିଳବସ୍ତୁକୁ ପ୍ରତ୍ୟାବର୍ତ୍ତନ କରିଥିଲେ, ତାଙ୍କର ବାପା ଶାକ୍ୟ ସମ୍ରାଟ ଶୁଦ୍ଧୋଦନଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଶାକ୍ୟ ସାମ୍ରାଜ୍ୟରେ ଦୀପ ପ୍ରଜ୍ବଳିତ କରାଯାଇ ତଥା ବାଣ ଫୁଟାଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ତାପରବର୍ତ୍ତୀ ସମୟରେ ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତି କରିଥିବା ଦିନକୁ ସ୍ମରଣୀୟ କରିବା ପାଇଁ ସମଗ୍ର ଶାକ୍ୟ ସାମ୍ରାଜ୍ୟରେ ଦୀପ ପ୍ରଜ୍ବଳିତ କରି ଓ ବାଣ ଫୁଟାଇ ପ୍ରତ୍ୟେକ ବର୍ଷ ଦୀପଦାନ ଉତ୍ସବ ନାମରେ ପାଳନ କରାଯାଉଥିଲା।

ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତି କଲାପରେ ଦେଶରେ ଅଜ୍ଞାନର ଅନ୍ଧକାର ଦୂରହୋଇ ଜ୍ଞାନର ଆଲୋକ ପ୍ରଜ୍ବଳିତ ହୋଇଥିବାରୁ ଦୀପଦାନ ଉତ୍ସବକୁ ଆଲୋକର ପର୍ବ ଭାବରେ ମଧ୍ୟ ଅଭିହିତ କରାଯାଉଥିଲା।

(୨) କଳିଙ୍ଗ ଯୁଦ୍ଧ ଓ ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ:

କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକ ୨୬୧ BCE ରେ ବିଜୟଲାଭ କରିଥିଲେ। ମାତ୍ର ଯୁଦ୍ଧର ହୃଦୟବିଦାରକ ବିଭୀଷିକାରେ ସେ ମ୍ରିୟମାଣ ଓ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ।

ବୌଦ୍ଧଭିକ୍ଷୁମାନଙ୍କ ସଂସ୍ପର୍ଶରେ ଆସି ଓ ତାଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ କଳିଙ୍ଗର ଦନ୍ତପୁର ଠାରେ ଅବସ୍ଥାପିତ ହୋଇ ରହିଥିବା ବୌଦ୍ଧସ୍ତୁପରେ ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ ହୋଇ ସବୁଦିନ ପାଇଁ ଅସ୍ତ୍ରତ୍ୟାଗ କରିଦେଇଥିଲେ।

(୩) ପୃଥିବୀର ସବୁଠାରୁ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ ଓ ଦୀପଦାନ ଉତ୍ସବ ପାଳନ:

(କ) ପୃଥିବୀର ସବୁଠାରୁ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ: ଖ୍ରୀଷ୍ଟପୂର୍ବ ୨୬୮ BCE ରୁ 232 BCE ମଧ୍ୟରେ ସମ୍ରାଟ ଅଶୋକଙ୍କ ୩୬ ବର୍ଷର ଦୀର୍ଘ ଶାସନକାଳ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ପୃଥିବୀର ସବୁଠାରୁ ବୃହତ୍, ସମୃଦ୍ଧ ଓ ଶକ୍ତିଶାଳୀ ବୌଦ୍ଧ ସାମ୍ରାଜ୍ୟ ଭାବରେ ବିଶ୍ୱ ଦରବାରରେ ପରିଗଣିତ ହେଉଥିଲା। ସେତେବେଳେ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରାୟ ୯୫ ପ୍ରତିଶତ ନାଗରିକ ବୌଦ୍ଧ ଧର୍ମାବଲମ୍ବୀ ରହିଥିଲେ।

ବୁଦ୍ଧଙ୍କର ଜ୍ଞାନପ୍ରାପ୍ତି କରିଥିବା ଦିନକୁ ସ୍ମରଣୀୟ କରିବା ପାଇଁ ପୁରାତନ କାଳରୁ ଚାଲିଆସିଥିବା ପ୍ରଥା ଦୀପଦାନ ଉତ୍ସବକୁ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟରେ ପ୍ରତ୍ୟେକ ବର୍ଷ ଆଲୋକର ପର୍ବ ଭାବରେ ଧୂମଧାମରେ ପାଳନ କରାଯାଉଥିଲା।

(୪) ବୌଦ୍ଧଧର୍ମର ପତନ ଓ ବ୍ରାହ୍ମଣବାଦ ଯୁଗର ପ୍ରତ୍ୟାବର୍ତ୍ତନ:

(କ) ବିଶ୍ୱାସଘାତକତା ଓ ପତନ: ଖ୍ରୀଷ୍ଟପୂର୍ବ ୧୮୫ (୧୮୫ BCE) ରେ ମୌର୍ଯ୍ୟ ବଂଶର ନବମ ତଥା ଶେଷ ସମ୍ରାଟ ବୃହଦ୍ରଥ ମୌର୍ଯ୍ୟଙ୍କୁ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ କପଟତା ଓ ବିଶ୍ୱାସଘାତକତା କରି ହତ୍ୟା କରିବା ପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ଅନ୍ତ ଘଟିଥିଲା।

(ଖ) ବୌଦ୍ଧ ଧର୍ମ ଉପରେ ଅମାନୁଷିକ ଅତ୍ୟାଚାର: ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ଶାସକ ଭାବେ ପୁଷ୍ୟମିତ୍ର ଶୃଙ୍ଗ ଗାଦିରେ ଅବସ୍ଥାପିତ ହେଲାପରେ ଦେଶରେ ପୁନର୍ବାର ବ୍ରାହ୍ମଣବାଦର ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟର ସମସ୍ତ ସାମରିକ ଶକ୍ତି ବୌଦ୍ଧଧର୍ମକୁ ଧ୍ୱଂସ କରିବାରେ ଲଗାଇଦିଆଯାଇଥିଲା, ଯଦ୍ୱାରା ବୁଦ୍ଧଧର୍ମର ପତନ ଘଟିଥିଲା ଓ ବ୍ରାହ୍ମଣବାଦ ଯୁଗର ପ୍ରତ୍ୟାବର୍ତ୍ତନ ହୋଇଥିଲା।

(ଗ) ମନ୍ତ୍ରୀ ପରିଷଦରେ ବ୍ରାହ୍ମଣବାଦୀ: ତାପରବର୍ତ୍ତୀ ସମୟଠାରୁ ରାଜଦରବାରମାନଙ୍କରେ ବୌଦ୍ଧ ଭିକ୍ଷୁମାନଙ୍କ ବଦଳରେ ମନ୍ତ୍ରୀ ପରିଷଦରେ ବ୍ରାହ୍ମଣମାନେ ଅବସ୍ଥାପିତ ହୋଇ ରହିଥିଲେ। ସେସମୟରେ ସେମାନଙ୍କ ପ୍ରରୋଚନାରେ ଦେଶରୁ ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିଦେବା ପାଇଁ ଲକ୍ଷାଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀଙ୍କୁ ନିର୍ମମ ଭାବେ ନରସଂହାର କରାଯାଇଥିଲା।

(ଘ) ପୁରାତନ ଇତିହାସ ଓ ସଂସ୍କୃତିର ବିକୃତି: ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ଦେଶର ୮୪,୦୦୦ ବୌଦ୍ଧ ପ୍ରତିମୂର୍ତ୍ତି, ସ୍ତୁପ, ବୌଦ୍ଧ ବିହାର ଏବଂ ପୂଜାସ୍ଥଳୀଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦିଆଯାଇଥିଲା। ବୁଦ୍ଧଙ୍କର ଅନେକ ପୂଜାସ୍ଥଳୀକୁ ବ୍ରାହ୍ମଣବାଦୀଙ୍କ ଦ୍ୱାରା କବଜା କରାଯାଇ ସେଠାରେ ମନ୍ଦିର ନିର୍ମାଣ କରାଯାଇଥିଲା।

(୫) କାଳ୍ପନିକ କାହାଣୀର ସଂରଚନା ଓ ବ୍ରାହ୍ମଣବାଦୀଙ୍କ ରୂପାନ୍ତରିତ ଦୀପାବଳି ଉତ୍ସବ:

ତାପରବର୍ତ୍ତୀ ସମୟରେ କାଳ୍ପନିକ କାହାଣୀମାନଙ୍କ ଆଧାରରେ ଅନେକ ପୁରାଣ ରଚନା କରାଯାଇ ବୁଦ୍ଧଙ୍କ ଜ୍ଞାନପ୍ରାପ୍ତି ଦିନକୁ ସ୍ମରଣୀୟ କରିବା ପାଇଁ ଆବାହନ କାଳରୁ ଚାଲିଆସିଥିବା ପ୍ରଥା ‘ଦୀପଦାନ ଉତ୍ସବ’ ବା ଆଲୋକର ପର୍ବକୁ ପରିବର୍ତ୍ତନ କରାଯାଇ ବ୍ରାହ୍ମଣବାଦୀଙ୍କ ଦୀପାବଳି ଉତ୍ସବ ଭାବରେ ପାଳନ କରାଯାଉଛି।

ଦୀପାବଳି ଉତ୍ସବ ପାଳନ ପଛରେ ମୁଖ୍ୟତଃ ନିମ୍ନଲିଖିତ ପୌରାଣିକ କାହାଣୀ ଓ ପରମ୍ପରାଗୁଡ଼ିକ ରହିଛି:

(କ) ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ: ରାମାୟଣ (ବାଲ୍ମୀକି ରାମାୟଣ ଏବଂ ତୁଳସୀଦାସଙ୍କ ଶ୍ରୀରାମଚରିତ ମାନସ) ଅନୁଯାୟୀ, ୧୪ ବର୍ଷର ବନବାସ ସାରି ଏବଂ ଲଙ୍କାପତି ରାବଣକୁ ବଧ କଲାପରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଯୋଧ୍ୟାବାସୀ ସେମାନଙ୍କ ସ୍ବାଗତ ପାଇଁ ଘିଅର ଦୀପ ଜାଳି ଏକ ବଡ଼ ଉତ୍ସବ ପାଳନ କରିଥିଲେ।

(ଖ) ଶ୍ରୀକୃଷ୍ଣଙ୍କ ଦ୍ୱାରା ନରକାସୁର ବଧ: ପୌରାଣିକ କଥାବସ୍ତୁ ଅନୁଯାୟୀ, ଅତ୍ୟାଚାରୀ ଅସୁର ନରକାସୁରକୁ କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଓ ସତ୍ୟଭାମା ବଧ କରିଥିଲେ ଏବଂ ଲୋକମାନେ ଆନନ୍ଦିତ ହୋଇ ଦୀପ ଜାଳିଥିଲେ।

(ଗ) ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜା: ଦୀପାବଳି ଅମାବାସ୍ୟା ଦିନ ଧନର ଦେବୀ ମାତା ଲକ୍ଷ୍ମୀ ଏବଂ ବିଦ୍ୟା ଓ ବୁଦ୍ଧିର ଦେବତା ଭଗବାନ ଗଣେଶଙ୍କର ପୂଜା କରାଯାଏ। ସମୁଦ୍ର ମନ୍ଥନ ସମୟରେ ଏହି ଦିନ ମାତା ଲକ୍ଷ୍ମୀ କ୍ଷୀରସାଗରରୁ ଆବିର୍ଭୂତ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ।

(ଘ) ପାଣ୍ଡବମାନଙ୍କ ପ୍ରତ୍ୟାବର୍ତ୍ତନ: ମହାଭାରତ କାହାଣୀ ଅନୁଯାୟୀ, ପାଣ୍ଡବମାନେ ୧୨ ବର୍ଷର ବନବାସ ଏବଂ ୧ ବର୍ଷର ଅଜ୍ଞାତବାସ କାଟିବା ପରେ କାର୍ତ୍ତିକ ଅମାବାସ୍ୟା ଦିନ ହସ୍ତୀନାପୁରକୁ ଫେରିଥିବାରୁ ରାଜ୍ୟବାସୀ ଦୀପ ପ୍ରଜ୍ବଳିତ କରି ଉତ୍ସବ ପାଳନ କରିଥିଲେ।

(୬) ପୌରାଣିକ କାହାଣୀର ଐତିହାସିକ ବାସ୍ତବତାର ଅଭାବ:

ବିଜ୍ଞାନ ଏବଂ ପ୍ରତ୍ନତତ୍ତ୍ୱର ଯୁଗରେ ଏହି ପୌରାଣିକ କାହାଣୀଗୁଡ଼ିକୁ ସତ୍ୟ ବା ଐତିହାସିକ ଘଟଣା ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ପୁରାଣଗୁଡ଼ିକରେ ବର୍ଣ୍ଣିତ ବର୍ଷ, ସମୟ ଏବଂ ଘଟଣାଗୁଡ଼ିକର କୌଣସି ବୈଜ୍ଞାନିକ କିମ୍ବା ଠୋସ୍ ଐତିହାସିକ ଭିତ୍ତିଭୂମି ନାହିଁ। ଏଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ, ଆଧ୍ୟାତ୍ମିକ ଏବଂ ପ୍ରତୀକାତ୍ମକ ଭାବନା ଉପରେ ପର୍ଯ୍ୟବେସିତ।

ବୌଦ୍ଧଧର୍ମର ବିନାଶ କଲାପରେ ବ୍ରାହ୍ମଣବାଦ ଓ ଜାତିପ୍ରଥାକୁ ଦେଶରେ ପ୍ରଚଳିତ କରି ରଖିବା ପାଇଁ ପ୍ରକୃତ ଇତିହାସ ଓ ସଂସ୍କୃତିକୁ ଉପରୋକ୍ତ କାଳ୍ପନିକ କାହାଣୀ ଆଧାରରେ ବିକୃତ କରାଯାଇ ବୁଦ୍ଧଙ୍କର ଦୀପଦାନ ଉତ୍ସବକୁ ବ୍ରାହ୍ମଣବାଦୀଙ୍କ ଦୀପାବଳି ଉତ୍ସବରେ ରୂପାନ୍ତରିତ କରାଯାଇଥିଲା। ସେହିସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ କାର୍ତ୍ତିକ ଅମାବାସ୍ୟା ଦିନ ଦୀପାବଳି ଉତ୍ସବ ପାଳନ କରାଯାଇଆସୁଛି।

MUST READ..

Share this post

Leave a Comment