Today is November 20, 2026

HEADLINES

LATEST NEWS

ବୁଦ୍ଧଙ୍କର କଳଦାନ୍ତ ଅସ୍ଥି କଳିଙ୍ଗ ରାଜ୍ୟର ଦନ୍ତପୁରୀ ସ୍ଥିତ ବୌଦ୍ଧସ୍ତୁପରେ ୮୦୦ ବର୍ଷ ପର୍ଯ୍ୟନ୍ତ ଅବସ୍ଥାପିତ ହୋଇ ରହିଥିଲା l

ବଲାଙ୍ଗିର, ୧୯ ଅକ୍ଟୋବର ୨୦୨୬ : ଶ୍ରୀଲଙ୍କାର କେଣ୍ଡି ସହରରେ ଅବସ୍ଥିତ ବିଶ୍ୱ ଧରୋହର (World Heritage) ଭାବରେ ମାନ୍ୟତା ପ୍ରାପ୍ତ ଏକ ବିରାଟ ଓ ଭବ୍ୟ ‘ ଦାନ୍ତ ଅସ୍ଥି ମନ୍ଦିର’ (Tooth Relic Temple) ରେ ଭଗବାନ ବୁଦ୍ଧଙ୍କର ପବିତ୍ର କଳଦାନ୍ତ ଅସ୍ଥି ସୁରକ୍ଷିତ ଭାବରେ ଅବସ୍ଥାପିତ ହୋଇରହିଛି।

ଭାରତର କଳିଙ୍ଗ ରାଜ୍ୟର ପୁରାତନ ‘ଦନ୍ତପୁରୀ’ ( ପୁରୀ ) ଠାରୁ ବୁଦ୍ଧଙ୍କର ପବିତ୍ର କଳଦାନ୍ତ ଅସ୍ଥି କିଭଳି ଭାବରେ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହୋଇଥିଲା, ତତ୍ସମ୍ବନ୍ଧୀୟ ସେଠାକାର ମନ୍ଦିର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଥିବା ବିଷୟବସ୍ତୁ ଆଧାରରେ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପିତ କରାଯାଇଛି ।

( 1 ) ପ୍ରାଚୀନ କଳିଙ୍ଗର ଦନ୍ତପୁରୀ: ବୌଦ୍ଧ ଧର୍ମର ବିଶ୍ୱବିଖ୍ୟାତ କେନ୍ଦ୍ରସ୍ଥଳୀ :

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ କଳିଙ୍ଗ ରାଜ୍ୟର ଦନ୍ତପୁରୀ’ (ବର୍ତ୍ତମାନର ପୁରୀ) ସମଗ୍ର ବିଶ୍ୱର ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳୀ ଭାବରେ ପରିଗଣିତ ହେଉଥିଲା। ସେଠାରେ ଏକ ବଡ଼ଧରଣର ବୌଦ୍ଧସ୍ତୁପରେ ବୁଦ୍ଧଙ୍କର କଳଦାନ୍ତ ଅସ୍ଥି ପ୍ରାୟ 800 ବର୍ଷ ପର୍ଯ୍ୟନ୍ତ ଅବସ୍ଥାପିତ ହୋଇ ରହିଥିଲା l

( a ) ବୁଦ୍ଧଙ୍କ ମହାପରିନିର୍ବାଣ ଓ ଅସ୍ଥି ଆଗମନ : ବୁଦ୍ଧଦେବ ଉତ୍ତର ପ୍ରଦେଶର କୁଶୀନଗର ଠାରେ 483 B.C ରେ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ l ଶେଷକୃତ ସମ୍ପର୍ଣ୍ଣ ହେଲାପରେ ବୁଦ୍ଧଙ୍କର ଅସ୍ଥି ମାନଙ୍କୁ ସେଠାରେ ଉପସ୍ଥିତ ରହିଥିବା କେତେକ ପ୍ରମୁଖ ବୌଦ୍ଧ ଭିକ୍ଷୁ/ଭିକ୍ଷୁଣି ମାନଙ୍କ ମାଧ୍ୟମରେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନକୁ ପ୍ରେରିତ କରାଯାଇଥିଲା l ପରବର୍ତ୍ତୀ ସମୟରେ ଦେଶ ବିଦେଶର ଅନେକ ସ୍ତୁପମାନ ନିର୍ମାଣ କରାଯାଇ ଉପରୋକ୍ତ ଅସ୍ଥିଗୁଡିକୁ ଅବସ୍ଥାପିତ କରାଯାଇଥିଲା l

( b ) ବୌଦ୍ଧଭିକ୍ଷୁଣି ଖେମା ପୁରୀ ମହାରାଜା ବ୍ରହ୍ମଦତ୍ତଙ୍କୁ ଦାନ୍ତ ଅସ୍ଥି ହସ୍ତାନ୍ତର : ମହାରାଜା ଅଜାତଶତ୍ରୁ ନିଜ ପିତା ବିନ୍ଦୁସାରଙ୍କୁ ବନ୍ଦୀ ବନାଇ ମଗଧର ସମ୍ରାଟ ଭାବରେ ଅବସ୍ଥାପିତ ହୋଇଥିଲେ l ତାପରବର୍ତ୍ତୀ ସମୟରେ ବିନ୍ଦୁସାର ବନ୍ଦୀଗୃହରେ ମୃତ୍ୟୁବରଣ କଲାପରେ ତାଙ୍କର ପାଟରାଣୀ ତଥା ଅଜାତଶତ୍ରୁଙ୍କ ମାତା ଖେମା ବୌଦ୍ଧଧର୍ମ ଗ୍ରହଣ କରିଥିଲେ l

ବୁଦ୍ଧଙ୍କ ଶେଷକୃତ ସମ୍ପର୍ଣ ହେଲାପରେ ତାଙ୍କର ବାମ କଳଦାନ୍ତ ଅସ୍ଥିକୁ ବୌଦ୍ଧଭିକ୍ଷୁଣି ଖେମା ସାଙ୍ଗରେ ନେଇ କଳିଙ୍ଗ ଆସି ପୁରୀର ତତ୍କାଳୀନ ମହାରାଜା ବ୍ରହ୍ମଦତ୍ତଙ୍କୁ ଏହାର ସୁରକ୍ଷା ଓ ପୂଜାର୍ଚ୍ଚନା କରିବା ପାଇଁ ପ୍ରଦାନ କରିଥିଲେ l

( c ) ବୌଦ୍ଧସ୍ତୁପ ନିର୍ମାଣ ଓ ଦନ୍ତପୁରୀ ନାମକରଣ : ମହାରାଜା ବ୍ରହ୍ମଦତ୍ତ ପୁରୀଠାରେ ଏକ ବିରାଟ ସ୍ତୁପ ନିର୍ମାଣ କରିଥିଲେ ଓ ସେଠାରେ ବୁଦ୍ଧଙ୍କର ଦାନ୍ତଅସ୍ଥିକୁ ଅବସ୍ଥାପିତ କରି ପୂଜାର୍ଚ୍ଚନା କରାଯାଉଥିଲା l ତାପରବର୍ତ୍ତି ସମୟରେ ପୁରୀର ନାମ ପରିବର୍ତ୍ତିତ ହୋଇ ଚାରିଆଡ଼େ ଦନ୍ତପୁରୀ ଭାବରେ ପ୍ରସିଦ୍ଧିଲାଭ କରିଥିଲା l

( d ) ଐତିହାସିକ ଓ ପରିବ୍ରାଜକ ମାନଙ୍କ ମତ : ଐତିହାସିକ ଓ ବିଭିନ୍ନ ଦେଶର ପରିବ୍ରାଜକ ମାନଙ୍କ ମତାନୁସାରେ, ସେହି ସମୟରେ ବୋଧଗୟା ସହିତ କଳିଙ୍ଗ (ଓଡିଶା) ରାଜ୍ୟର ଦନ୍ତପୁରୀ (ପୁରୀ) ମଧ୍ୟ ପୃଥିବୀର ଏକ ପ୍ରମୁଖ ବୌଦ୍ଧ ଦାର୍ଶନିକ ତଥା ଧାର୍ମିକ କେନ୍ଦ୍ର ଭାବରେ ପରିଗଣିତ ହେଉଥିଲା।

( 2 ) ସାମାଜିକ ସମରସତା ଏବଂ ‘ଅସ୍ଥିକଳସ ରଥଯାତ୍ରା’

ବୌଦ୍ଧଧର୍ମ ମାନବବାଦ ଉପରେ ଆଧାରିତ ହୋଇ ରହିଥିବାରୁ ବୁଦ୍ଧଙ୍କର ଧର୍ମସ୍ଥଳୀ ମାନଙ୍କରେ ଜାତିପ୍ରଥା ଉପରେ କୌଣସି ପ୍ରକାର କଟକଣା ରହୁନଥିଲା l ସମସ୍ତେ ବୁଦ୍ଧଙ୍କ ସ୍ତୁପକୁ ଯାଇ ଅସ୍ଥିକୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହିତ ଏକାଠି ବସି ପ୍ରସାଦ ସେବନ ମଧ୍ୟ କରି ପାରୁଥିଲେ l

( a ) ସମଗ୍ର ବିଶ୍ୱରେ ବୁଦ୍ଧଙ୍କୁ ତାଙ୍କର ଅନୁଗାମୀ ମାନେ ଆଧ୍ୟାତ୍ମିକ ଗୁରୁ (Master) ଭାବରେ ଗ୍ରହଣ କରିଥାନ୍ତି l ପ୍ରତ୍ୟେକ ବର୍ଷ ବୁଦ୍ଧଦେବ ଜ୍ଞାନପ୍ରାପ୍ତି କରିଥିବା ଦିନକୁ ସ୍ମରଣୀୟ କରିବା ପାଇଁ ପୁରୀଠାରେ ‘ଅସ୍ଥିକଳସ ରଥଯାତ୍ରା’ ନାମକ ଏକ ବଡ଼ ଧରଣର ଯାତ୍ରା ଅନୁଷ୍ଠିତ କରାଯାଉଥିଲା l ରଥ ଉପରେ ବୁଦ୍ଧଙ୍କ ଦାନ୍ତଅସ୍ଥିକୁ ଗୋଟିଏ କଳସ ଭିତରେ ଅବସ୍ଥାପିତ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଯାତ୍ରା ଅନୁଷ୍ଠିତ ହେଉଥିଲା l

( b ) ସେସମୟରେ ସମଗ୍ର କଳିଙ୍ଗ ରାଜ୍ୟରେ ବୌଦ୍ଧଧର୍ମ ବହୁଳ ଭାବରେ ପ୍ରଚଳିତ ହୋଇ ରହୁଥିଲା, କେବଳ ଅତିକମ୍ ପ୍ରତିଶତ ବ୍ରାହ୍ମଣଧର୍ମର ପ୍ରଚଳନ ରହିଥିଲା l ତେଣୁ ‘ଅସ୍ଥିକଳସ ରଥଯାତ୍ରା’ ସମୟରେ କୌଣସି ପ୍ରକାରର ଜାତିପ୍ରଥାର ଭେଦଭାବ ପରିଲକ୍ଷିତ ହେଉନଥିଲା l ବୁଦ୍ଧଙ୍କ ସ୍ତୁପ ନିକଟରୁ ରଥ ବାହାରି ତାଙ୍କର ମାଉସୀ ମାଙ୍କ ମନ୍ଦିର ପାଖକୁ ଯାଉଥିଲା l

ଜନସାଧାରଣ ଏହି ଯାତ୍ରାକୁ ଦଶଦିନ ପାଳନ କଲାପରେ ପୁଣିଥରେ ରଥ ବୁଦ୍ଧଙ୍କ ସ୍ତୁପ ନିକଟକୁ ଫେରି ଆସୁଥିଲା l ଦେଶ ବିଦେଶରେ ବୁଦ୍ଧଙ୍କର ଅସ୍ଥି ରହିଥିବା ପୂଜସ୍ଥଳୀ ମାନଙ୍କରେ ବର୍ତ୍ତମାନ ସମୟରେ ମଧ୍ୟ ଅସ୍ଥିକଳସ ରଥଯାତ୍ରା ଅନୁଷ୍ଠିତ କରାଯାଉଛି l

( c ) ଏଠାରେ ପ୍ରକାଶଯୋଗ୍ୟ ପ୍ରାୟ 2500 ବର୍ଷ ପୂର୍ବେ ଶାକ୍ୟ ବଂଶର ସମ୍ରାଟ ଶୁଦ୍ଧୋଦନ କପିଳବସ୍ତୁ ସାମ୍ରାଜ୍ୟରେ ଶାସନ କରୁଥିଲେ l ମାୟାଦେବୀ ଓ ପ୍ରଜାପତି ନାମକ ଦୁଇ ଭଉଣୀ ତାଙ୍କର ପାଟରାଣୀ ରହିଥିଲେ l ବୁଦ୍ଧଦେବ ଜନ୍ମଗ୍ରହଣ କରିବାର କିଛିଦିନ ପରେ ମାୟାଦେବୀ ମୃତ୍ୟୁ ବରଣ କରିଥିଲେ ଓ ପ୍ରଜାପତି ତାଙ୍କୁ ନିଜର ପୁତ୍ର ଭାବରେ ଲାଳନପାଳନ କରିଥିଲେ l ତେଣୁ ବୌଦ୍ଧଧର୍ମରେ ବୁଦ୍ଧଙ୍କର ମାଉସୀ ମାଙ୍କୁ ପୂଜା କରାଯାଉଛି l

( 3 ) କଳିଙ୍ଗ ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ବୌଦ୍ଧଧର୍ମ ପ୍ରସାରର ମୂଳଦୁଆ

ଖ୍ରୀଷ୍ଟପୂର୍ବ ୨୬୧ ରେ ଦୟାନଦୀ ନିକଟସ୍ଥ ଦେଉଳି ପର୍ବତ (ଧଉଳି) ଠାରେ ସମ୍ରାଟ ଅଶୋକ ଏବଂ କଳିଙ୍ଗ ସମ୍ରାଟ ଅନନ୍ତ ପଦ୍ମନାଭଙ୍କ ମଧ୍ୟରେ ଭୟାନକ କଳିଙ୍ଗ ଯୁଦ୍ଧ ହୋଇଥିଲା।

ଏହି ଯୁଦ୍ଧର ଭୀଷଣ ରକ୍ତପାତ ଓ ବିଭୀଷିକା ଦେଖି ଅଶୋକଙ୍କ ମନରେ ପରିବର୍ତ୍ତନ ଆସିଥିଲା। ସେ ସବୁଦିନ ପାଇଁ ଅସ୍ତ୍ରତ୍ୟାଗ କରି କଳିଙ୍ଗର ଦନ୍ତପୁରୀ ସ୍ଥିତ ବୌଦ୍ଧସ୍ତୁପ ଠାରୁ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ।

ଏହି ଘଟଣା କେବଳ ତାଙ୍କ ବ୍ୟକ୍ତିଗତ ଜୀବନକୁ ବଦଳାଇ ନଥିଲା, ବରଂ ରାଜ୍ୟର ସମ୍ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟକୁ ବୌଦ୍ଧ ଧର୍ମର ଶାନ୍ତି, ଅହିଂସା ଓ ମାନବବାଦୀ ବାର୍ତ୍ତା ପ୍ରଚାରରେ ବିନିଯୋଗ କରିବା ପାଇଁ ସେ ପ୍ରତିଜ୍ଞାବଦ୍ଧ ହୋଇଥିଲେ।

ସଂକ୍ଷେପରେ କହିବାକୁ ଗଲେ, କଳିଙ୍ଗ ଯୁଦ୍ଧର ବିଭୀଷିକା ପରେ ସମ୍ରାଟ ଅଶୋକ ହୃଦୟରେ ଦନ୍ତପୁରୀର ବୌଦ୍ଧସ୍ତୁପ ଠାରୁ ଯେଉଁ ଅହିଂସା ଓ କରୁଣାର ବାର୍ତ୍ତା ସୃଷ୍ଟି ହୋଇଥିଲା, ତାହାହିଁ କଳିଙ୍ଗରୁ ବାହାରି ସମଗ୍ର ଏସିଆ ତଥା ବିଶ୍ୱକୁ ବୌଦ୍ଧ ଧର୍ମର ଏକ ସୁବର୍ଣ୍ଣ ପ୍ରବାହରେ ପରିଣତ କରିଦେଇଥିଲା l

( 4 ) ବୌଦ୍ଧଧର୍ମର ପତନ ଓ ବ୍ରହ୍ମଣବାଦ ଯୁଗର ପ୍ରତ୍ୟାବର୍ତ୍ତନ :

( a ) ଖ୍ରୀଷ୍ଟପୂର୍ବ ୨୬୮ରୁ ୨୩୨ ମଧ୍ୟରେ ସମ୍ରାଟ ଅଶୋକଙ୍କ ୩୬ ବର୍ଷର ଦୀର୍ଘ ଶାସନକାଳରେ ମୌର୍ଯ୍ୟ ସାମ୍ରାଜ୍ୟ ପୃଥିବୀର ସବୁଠାରୁ ବୃହତ୍, ସମୃଦ୍ଧ ଓ ଶକ୍ତିଶାଳୀ ବୌଦ୍ଧ ସାମ୍ରାଜ୍ୟ ଭାବରେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇଥିଲା। ବୁଦ୍ଧଙ୍କ ସମତାବାଦୀ ବିଚାରଧାରାରେ ଅନୁପ୍ରାଣିତ ହୋଇ ଅଶୋକ ସାମ୍ରାଜ୍ୟରୁ ଜାତିପ୍ରଥା ଓ ବ୍ରାହ୍ମଣବାଦୀ କଠୋରତାକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେଇଥିଲେ। ସେତେବେଳେ ସାମ୍ରାଜ୍ୟର ପ୍ରାୟ ୯୫ ପ୍ରତିଶତ ନାଗରିକ ବୌଦ୍ଧ ଧର୍ମାବଲମ୍ବୀ ଥିଲେ।

( a ) ବିଶ୍ୱାସଘାତକତା ଓ ପତନ: ଖ୍ରୀଷ୍ଟପୂର୍ବ ୧୮୫ ( 185 BCE )ରେ ମୌର୍ଯ୍ୟ ବଂଶର ନବମ ତଥା ଶେଷ ସମ୍ରାଟ ବୃହଦ୍ରଥ ମୌର୍ଯ୍ୟଙ୍କୁ ତାଙ୍କର ପ୍ରଧାନ ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ କପଟତା ଓ ବିଶ୍ୱାସଘାତକତା କରି ହତ୍ୟା କରିବା ପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ଅନ୍ତ ଘଟିଥିଲା।

( b ) ବୌଦ୍ଧ ଧର୍ମ ଉପରେ ଅମାନୁଷିକ ଅତ୍ୟାଚାର: ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ଶାସକ ଭାବେ ପୁଷ୍ୟମିତ୍ର ଶୃଙ୍ଗ ଗାଦିରେ ଅବସ୍ଥାପିତ ହେଲାପରେ ଦେଶରେ ପୁନର୍ବାର ବ୍ରାହ୍ମଣବାଦ ପ୍ରତିଷ୍ଠା କରାଯାଇ ରାଜ୍ୟର ସମସ୍ତ ସାମରିକ ଶକ୍ତି ବୌଦ୍ଧଧର୍ମକୁ ଧ୍ୱଂସ କରିବାରେ ଲଗାଇ ଦେଇଥିଲେ। ଯଦ୍ୱାରା ବୁଦ୍ଧଧର୍ମର ପତନ ଘଟିଥିଲା ଓ ବ୍ରାହ୍ମଣବାଦ ଯୁଗର ପ୍ରତ୍ୟାବର୍ତନ ହୋଇଥିଲା ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଛି l

( 6 ) ବୁଦ୍ଧଙ୍କର କଳ ଦାନ୍ତଅସ୍ଥିକୁ ଧ୍ଵଂସ କରିଦେବା ପାଇଁ ଦନ୍ତପୁରୀ ଉପରେ ଆକ୍ରମଣ :

( g ) ତାପରବର୍ତ୍ତି ସମୟ ଠାରୁ ରାଜଦରବାର ମାନଙ୍କରେ ବୌଦ୍ଧ ଭୀକ୍ଷୁ ମାନଙ୍କ ବଦଳରେ ମନ୍ତ୍ରୀ ପରିଷଦରେ ବ୍ରାହ୍ମଣ ମାନେ ଅବସ୍ଥାପିତ ହୋଇ ରହୁଥିଲେ l ତେଣୁ ସେମାନେ ସଦାବେଳେ ବୌଦ୍ଧଧର୍ମକୁ ଧ୍ୱଂସ କରିଦେବା ପାଇଁ ସମସ୍ତ ରାଜାମାନଙ୍କୁ ପ୍ରବର୍ତ୍ତାଉଥିଲେ l

ଦନ୍ତପୁରି ସ୍ଥିତ ବୌଦ୍ଧସ୍ଥୁପ ଠାରେ ବୁଦ୍ଧଙ୍କ କଳଦାନ୍ତ ଅସ୍ଥି ଅବସ୍ଥାପିତ ହୋଇ ରହିବାର 800 ବର୍ଷ ପରେ ପ୍ରାୟ ଚତୁର୍ଥ ଶତାବ୍ଦୀ C E ରେ ତତ୍କାଳୀନ କଳିଙ୍ଗ ମହାରାଜା ଗୁହସଭାଙ୍କ ଶାସନକାଳ ସମୟରେ ବୁଦ୍ଧଙ୍କର କଳ ଦାନ୍ତଅସ୍ଥିକୁ ଧ୍ଵଂସ କରିଦେବା ପାଇଁ ବ୍ରାହ୍ମଣବାଦୀଙ୍କ ପ୍ରରୋଚନାରେ ଅନେକ ରାଜା ଦନ୍ତପୁରୀକୁ ଆକ୍ରମଣ କରିଥିଲେ l

( h ) ତତ୍କାଳୀନ ମହାରାଜା ପାଣ୍ଡୁ ଏକ ବିରାଟ ସୈନ୍ୟବାହିନୀ ଧରି ଦନ୍ତପୁରୀକୁ ଆକ୍ରମଣ କରିଥିଲେ l ଯୁଦ୍ଧ ଚାଲିଥିବା ସମୟରେ ବୌଦ୍ଧଭିକ୍ଷୁ ମାନଙ୍କର ସଂସ୍ପର୍ଶରେ ଆସି ମହାରାଜା ପାଣ୍ଡୁ ବୌଦ୍ଧଧର୍ମ ଗ୍ରହଣ କରି ବୁଦ୍ଧଙ୍କର ସ୍ତୁପକୁ ଯାଇ ପୂଜାର୍ଚ୍ଚନା କଲାପରେ ଯୁଦ୍ଧବିରତି ଘୋଷଣା କରି ସ୍ଵରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ l

ମହାରାଜା ପାଣ୍ଡୁ ବୌଦ୍ଧଧର୍ମ ଗ୍ରହଣ କରିବା ଘଟଣାରେ ଉତକ୍ଷୀପ୍ତ ହୋଇ ତତ୍କାଳୀନ ମହାରାଜା କ୍ଷୀରାଧର ଦନ୍ତପୁରୀକୁ ଆକ୍ରମଣ କରିଥିଲେ l ଦନ୍ତପୁରୀକୁ ପ୍ରବେଶ କରିବା ପୂର୍ବରୁ ଯୁଦ୍ଧରେ ତାଙ୍କର ମୃତ୍ୟୁବରଣ ହୋଇଥିଲା l ତାଙ୍କର ପୁଅ ଏହି ଘଟଣାରେ ମ୍ରିୟମାଣ ହୋଇ ଏକ ବିରାଟ ସୈନ୍ୟବାହିନୀ ଧରି ବୁଦ୍ଧଙ୍କର ଦାନ୍ତଅସ୍ଥିକୁ ଧ୍ଵଂସ କରିଦେବା ପାଇଁ ଦନ୍ତପୁରୀ ଭିତରକୁ ପ୍ରବେଶ କରିଥିଲେ l

( 7 ) ରାଜକୁମାରୀ ହେମାମାଳିଙ୍କ ସାହସିକତା ଏବଂ ଦାନ୍ତଅସ୍ଥି ଶ୍ରୀଲଙ୍କା ସ୍ଥାନାନ୍ତରିତ :

ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀରେ କଳିଙ୍ଗ ମହାରାଜା ଗୁହସଭାଙ୍କ ଶାସନ କାଳରେ ଯେତେବେଳେ ଦନ୍ତପୁରୀ ଉପରେ ଆକ୍ରମଣ ବୃଦ୍ଧି ପାଇଲା, ସେତେବେଳେ ସେ ନିଜର କନ୍ୟା ରାଜକୁମାରୀ ହେମାମାଳି ଏବଂ ଜ୍ୱାଇଁ ଉଡେନି ଦେଶର ରାଜକୁମାର ଦନ୍ଥାଙ୍କୁ ଲୁକ୍କାୟିତ ଭାବରେ ଦାନ୍ତଅସ୍ଥିକୁ ଶ୍ରୀଲଙ୍କା ନେଇଯିବାକୁ ନିର୍ଦ୍ଦେଶ ଦେଇଥିଲେ।

କଳିଙ୍ଗ ରାଜକନ୍ୟା ହେମାମାଳି ନିଜ ମୁଣ୍ଡବାଳ ଭିତରେ ବୁଦ୍ଧଙ୍କର କଳଦାନ୍ତ ଅସ୍ଥିକୁ ଲୁଚାଇ ସ୍ୱାମୀ ଦନ୍ଥାଙ୍କ ସହିତ ଛଦ୍ମବେଶରେ ତାମ୍ରଲିପ୍ତି ନାମକ ବନ୍ଦରରେ ଢଙ୍ଗାରେ ବସି ଶ୍ରୀଲଙ୍କା ପଳାୟନ କରିଥିଲେ l ଶ୍ରୀଲଙ୍କାର ଲଙ୍କାପଟ୍ଟନା ବନ୍ଦରରେ ପହଞ୍ଚିଲା ପରେ ତତ୍କାଳୀନ ରାଜା ମେଘଭାନ୍ନଙ୍କୁ ସେମାନେ ବୁଦ୍ଧଙ୍କର କଳଦାନ୍ତ ଅସ୍ଥିକୁ ସୁରକ୍ଷା ଦେବା ପାଇଁ ପ୍ରଦାନ କରିଥିଲେ l

ଦନ୍ତପୁରି ସ୍ଥିତ ବୌଦ୍ଧସ୍ଥୁପକୁ ଷଡଯନ୍ତ୍ର କରାଯାଇ ଭାଙ୍ଗି ଦିଆଯାଇଥିଲା ଓ ଏହାର ଭଗ୍ନାଂଶର ମାଲିକାନା ବ୍ରାହ୍ମଣବାଦୀଙ୍କ କବଜାକୁ ଚାଲିଯାଇଥିଲା l ଏଭଳି ଭାବରେ ବୁଦ୍ଧଙ୍କର ବିଶ୍ୱବିକ୍ଷ୍ୟାତ ଦନ୍ତପୁରି ବ୍ରାହ୍ମଣ ବାଦୀଙ୍କ କେନ୍ଦ୍ରସ୍ଥଳୀ ପାଲଟି ଯାଇଥିଲା l

( 8 ) ଶ୍ରୀଲଙ୍କାରେ ବୁଦ୍ଧଙ୍କର ବିଶାଳକାୟ ‘ଦନ୍ତଅସ୍ଥି ମନ୍ଦିର ନିର୍ମାଣ’

( a ) ଶ୍ରୀଲଙ୍କାର ତତ୍କାଳୀନ ମହାରାଜା ନିଜର ରାଜପ୍ରସାଦ ଭିତରେ ଏକ ବିରାଟ ମନ୍ଦିର ନିର୍ମାଣ କରାଇ ବୁଦ୍ଧଙ୍କର କଳଦାନ୍ତ ଅସ୍ଥିକୁ ସେଠାରେ ଅବସ୍ଥାପିତ କରି ବଂଶାନୁକ୍ରମେ ପୂଜାର୍ଚ୍ଚନା କରିଆସୁଥିଲେ l ପରବର୍ତ୍ତୀ ସମୟରେ ଶ୍ରୀଲଙ୍କାକୁ ବାହ୍ୟ ଦେଶର ଶତ୍ରୁମାନେ ଆକ୍ରମଣ କଲାପରେ ବୁଦ୍ଧଙ୍କର କଳଦାନ୍ତ ଅସ୍ଥିକୁ ବିଭିନ୍ନ ସ୍ଥାନକୁ ବୌଦ୍ଧଭିକ୍ଷୁ ମାନେ ସ୍ଥାନାନ୍ତରିତ କରି ଗୁମ୍ଫା ମାନଙ୍କରେ ଲୁକ୍କାୟିତ ଭାବରେ ରଖିଥିଲେ l

ବର୍ତ୍ତମାନ ଶ୍ରୀଲଙ୍କାର କେଣ୍ଡି ସହର ଠାରେ ତତ୍କାଳୀନ ମହାରାଜାଙ୍କ ଦ୍ଵାରା ‘ଦାନ୍ତଅସ୍ଥି ମନ୍ଦିର’ ନାମକ ଏକ ବିରାଟ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ବୁଦ୍ଧଙ୍କର କଳଦାନ୍ତ ଅସ୍ଥିକୁ ଅବସ୍ଥାପିତ କରାଯାଇଛି l

ରାଜକୁମାରୀ ହେମମାଳା ଏବଂ ତାଙ୍କ ସ୍ୱାମୀ ରାଜକୁମାର ଦଂସ୍ଥା ଭଗବାନ ବୁଦ୍ଧଙ୍କ ପବିତ୍ର ଦନ୍ତ ଅବଶେଷକୁ ଶ୍ରୀଲଙ୍କାକୁ ଆଣିଥିବାରୁ ସେମାନଙ୍କ ସମ୍ମାନାର୍ଥେ ଉଭୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ‘ଦାନ୍ତଅସ୍ଥି ମନ୍ଦିର’ ସମ୍ମୁଖରେ ଅବସ୍ଥାପିତ କରାଯାଇଛି l

( 9 ) ଆଦି ଶଙ୍କରାଚାର୍ଯ୍ୟ ଓ ରାମାନୁଜାଚାର୍ଯ୍ୟଙ୍କ ପୁରୀ ଆଗମନ :

ଆଦି ଶଙ୍କରାଚାର୍ଯ୍ୟ ଓ ରାମାନୁଜାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମର ଜଣେଜଣେ ମହାନ ଦାର୍ଶନିକ, ଆଧ୍ୟାତ୍ମିକ ଗୁରୁ l ସେସମୟରେ ଦନ୍ତପୁରି ସମେତ କଳିଙ୍ଗ ରାଜ୍ୟରେ ବୌଦ୍ଧ ଧର୍ମର ବିନାଶ କରିବାରେ ଏମାନଙ୍କ ପ୍ରମୁଖ ଭୂମିକା ରହିଥିଲା l

( a ) ଚାରି ଧାମ ପ୍ରତିଷ୍ଠା: ଆଦି ଶଙ୍କରାଚାର୍ଯ୍ୟ ଭାରତରେ ବୌଦ୍ଧଧର୍ମ ବିନାଶ ଓ ସନାତନ ଧର୍ମର ଉତ୍ଥାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ସେ ଭାରତର ଚାରି ଦିଗରେ ରହିଥିବା ବୌଦ୍ଧଧର୍ମର ପ୍ରମୁଖ କେନ୍ଦ୍ରସ୍ଥଳୀ ମାନଙ୍କ ଠାରେ ଚାରୋଟି ପ୍ରମୁଖ ମଠ ପ୍ରତିଷ୍ଠା କରିଥିଲେ l ତନ୍ମଧ୍ୟରୁ ପୁରୀର ଗୋବର୍ଦ୍ଧନ ପୀଠ ହେଉଛି ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ଚାରୋଟି ପ୍ରମୁଖ ମଠ ମଧ୍ୟରୁ ପୂର୍ବ ଦିଗର ମଠ l

( b ) ରାମାନୁଜାଚାର୍ଯ୍ୟଙ୍କ ପୁରୀ ଗମନ: ଐତିହାସିକ ଓ ପରମ୍ପରାଗତ ବିଶ୍ୱାସ ଅନୁଯାୟୀ, ରାମାନୁଜାଚାର୍ଯ୍ୟ ତାଙ୍କ ଦକ୍ଷିଣ ଭାରତ ଯାତ୍ରା ସମୟରେ ପୁରୀକୁ ଆସିଥିଲେ l ସେତେବେଳେ ପୁରୀର ଗଙ୍ଗ ବଂଶୀୟ ରାଜା ଅନନ୍ତବର୍ମନ ଚୋଡଗଙ୍ଗ ଦେବ ତାଙ୍କୁ ଆଦରର ସହିତ ସ୍ୱାଗତ କରି ତାଙ୍କର ଅନୁଗାମୀ ପାଲଟି ଯାଇଥିଲେ l

ଏମାର ମଠ (Emar Math): ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ପ୍ରସିଦ୍ଧ ‘ଏମାର ମଠ’ ସହିତ ରାମାନୁଜାଚାର୍ଯ୍ୟଙ୍କ ନାମ ସିଧାସଳଖ ଜଡିତ l କୁହାଯାଏ ଯେ ସେ ହିଁ ଏହି ମଠର ପ୍ରତିଷ୍ଠା କରି ପୁରୀର ଧାର୍ମିକ ପରମ୍ପରା, ବୈଷ୍ଣବ ଧର୍ମ ଏବଂ ମଠ ସଂସ୍କୃତି ଉପରେ ଏକ ଗଭୀର ଓ ସ୍ଥାୟୀ ପ୍ରଭାବ ପକାଇଥିଲେ l

( 10 ) ଶ୍ରୀଲଙ୍କାରେ ପବିତ୍ର ଦାନ୍ତଅସ୍ଥି ସମ୍ମାନାର୍ଥେ ଉତ୍ସବ ପାଳନ :

ଶ୍ରୀଲଙ୍କାରେ ଭଗବାନ ବୁଦ୍ଧଙ୍କ ପବିତ୍ର ଦନ୍ତ ଅବଶେଷ (Sacred Tooth Relic) ସମ୍ମାନାର୍ଥେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିବା ସବୁଠାରୁ ପ୍ରସିଦ୍ଧ ଏବଂ ଗ୍ରାଣ୍ଡ୍‌ ଉତ୍ସବଟି ହେଉଛି ‘କାଣ୍ଡି ଏସାଲା ପେରାହେରା’ (Kandy Esala Perahera) l ଯାହାକି କଳିଙ୍ଗ ରାଜ୍ୟର ଦନ୍ତପୁରୀ ଠାରେ ଅସ୍ଥି କଳସ ରଥଯାତ୍ରା ନାମରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିଲା l

ଉତ୍ସବର ମୁଖ୍ୟ ଆକର୍ଷଣ (ଶୋଭାଯାତ୍ରା): ପାରମ୍ପରିକ ନୃତ୍ୟଶିଳ୍ପୀ, ଡ୍ରମ ବାଦକ, ଅଗ୍ନି-ପ୍ରଦର୍ଶକ ଅଂଶଗ୍ରହଣ କରି ଭଗବାନ ବୁଦ୍ଧଙ୍କ ପବିତ୍ର ଦlନ୍ତ ଅବଶେଷ ରଖାଯାଇଥିବା ସୁବର୍ଣ୍ଣ କାଠି କିମ୍ବା ପବିତ୍ର ପେଡ଼ିକୁ ଏକ ସୁସଜ୍ଜିତ ମୁଖ୍ୟ ହାତୀର ପିଠିରେ ଅତି ଶ୍ରଦ୍ଧା ଓ ନିରାପତ୍ତା ସହିତ ଅବସ୍ଥାପିତ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶୋଭାଯାତ୍ରା କେଣ୍ଡି ସହର ପରିକ୍ରମା କରେ l

ଏହି ଦଶ ଦିନିଆ ଭବ୍ୟ ଉତ୍ସବଟି ସିଂହଳୀ କ୍ୟାଲେଣ୍ଡରର ଏସାଲା ମାସର ପ୍ରଥମ ଭାଗରୁ ଆରମ୍ଭ ହୋଇ ନିକିନି ପୂର୍ଣ୍ଣିମା (Nikini Full Moon Poya Day) ଦିନ ଶେଷ ହୋଇଥାଏ l ଏହା ସାଧାରଣତଃ ଗ୍ରାଗୋରିଆନ୍ କ୍ୟାଲେଣ୍ଡରର ଜୁଲାଇ କିମ୍ବା ଅଗଷ୍ଟ ମାସର ପୂର୍ଣ୍ଣିମା ତିଥି ଆଖପାଖରେ ପଡ଼ିଥାଏ l

ଏହା କେବଳ ଶ୍ରୀଲଙ୍କାର ସର୍ବବୃହତ୍ ବୌଦ୍ଧ ଉତ୍ସବ ନୁହେଁ, ବରଂ ସମଗ୍ର ଏସିଆର ସବୁଠାରୁ ପୁରାତନ ଏବଂ ଭବ୍ୟ ସାଂସ୍କୃତିକ ଉତ୍ସବଗୁଡ଼ିକ ମଧ୍ୟରୁ ଅନ୍ୟତମ l

ଏଭଳି ଭାବରେ ଦନ୍ତପୁରୀ ସମେତ ସମଗ୍ର କଳିଙ୍ଗ ରାଜ୍ୟରେ ବୁଦ୍ଧଧର୍ମର ମାନବବାଦ ଯୁଗର ପତନ ଘଟିଥିଲା ଓ ବ୍ରାହ୍ମଣବାଦୀଙ୍କ ଜାତିବାଦ ଯୁଗ ପ୍ରତ୍ୟାବର୍ତ୍ତନ କରିଥିଲା l ଏହାସହିତ ବିଶ୍ୱବିକ୍ଷ୍ୟାତ ବୌଦ୍ଧଧର୍ମର କେନ୍ଦ୍ରସ୍ଥଳୀ ରୂପେ କ୍ଷ୍ୟତି ଲାଭ କରିଥିବା ଦନ୍ତପୁରୀ ବ୍ରାହ୍ମଣବାଦୀଙ୍କ କେନ୍ଦ୍ରସ୍ଥଳୀ ପାଲଟି ଜେସିଥିଲା l

ଉପରୋକ୍ତ ସମସ୍ତ ପୌରାଣିକ ଓ ଐତିହାସିକ ଘଟଣାଗୁଡ଼ିକ ଆଜି ମଧ୍ୟ ଶ୍ରୀଲଙ୍କାର କେଣ୍ଡି ସହର ସ୍ଥିତ ‘ଦାନ୍ତଅସ୍ଥି ମନ୍ଦିର’ର ଗ୍ରନ୍ଥାଗାରରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି l

MUST READ..

Share this post

Leave a Comment